ଲାଲୁ ଶବରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ଜଙ୍ଗଲ ସୁରକ୍ଷାରେ ଏକ ମହାନ ଅବଦାନ।
ଭୁବନେଶ୍ୱର, ଭାରତ ଜୁଲାଇ 19, 2026 ALN: ଚନ୍ଦାହାଣ୍ଡି: (ମହମ୍ମଦ ହୁସେନ): ବନ କେବଳ ଗଛର ସମାହାର ନୁହେଁ; ବରଂ ସମଗ୍ର ଜୀବଜଗତର ଜୀବନରେଖା। ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ଏବଂ ଅସଂଖ୍ୟ ଜୀବଙ୍କ ଜୀବନ ବନ ଉପରେ ନିର୍ଭରଶୀଳ। ବନ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, କାଠ ଓ ଜୀବିକା ଯୋଗାଇବା ସହିତ ପରିବେଶର ସନ୍ତୁଳନ ରକ୍ଷା, ବର୍ଷାଚକ୍ରକୁ ସକ୍ରିୟ କରିବା ଏବଂ ଜୈବ ବିବିଧତାକୁ ସୁରକ୍ଷିତ ରଖିବାରେ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରେ। କିନ୍ତୁ ଦ୍ରୁତ ଶିଳ୍ପାୟନ, ସହରୀକରଣ, ଅବୈଧ ଗଛକଟା ଓ ବନାଗ୍ନି ଯୋଗୁଁ ଜଙ୍ଗଲ ଦିନକୁ ଦିନ ସଙ୍କୁଚିତ ହେଉଛି। ଏଭଳି ସମୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ମାଲଗାଁ ଗ୍ରାମର ଲାଲୁ ଶବର ନିଜ ଜୀବନକୁ ବନ ସୁରକ୍ଷା ପାଇଁ ଉତ୍ସର୍ଗ କରି ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ଚନ୍ଦାହାଣ୍ଡି ବ୍ଲକର ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ମାଲଗାଁ ନିକଟରେ ରହିଛି କଲାମାଳି ପାହାଡ଼। ଏକଦା ଗଛଶୂନ୍ୟ ହୋଇପଡ଼ିଥିବା ଏହି ପାହାଡ଼କୁ ପୁଣିଥରେ ସବୁଜ କରିବାର ସ୍ୱପ୍ନ ଦେଖିଥିଲେ ଲାଲୁ ଶବର। ୨୦୦୪ ମସିହାରେ ବନ ବିଭାଗରୁ ପ୍ରାପ୍ତ ଶାଗୁଆନ ଚାରା ସହ ନିଜ ଅର୍ଥରେ ହଜାର ହଜାର ଚାରା ସଂଗ୍ରହ କରି ସେ ବୃକ୍ଷରୋପଣ ଆରମ୍ଭ କରିଥିଲେ। ଆରମ୍ଭରେ ଅନେକ ବାଧା, ଅଭାବ ଓ ପ୍ରତିକୂଳ ପରିସ୍ଥିତି ସାମ୍ନା କରିଥିଲେ ମଧ୍ୟ ସେ କେବେ ହାର ମାନିନଥିଲେ। ତାଙ୍କର ଦୀର୍ଘ ଦୁଇ ଦଶନ୍ଧିର ନିରନ୍ତର ପରିଶ୍ରମ ଆଜି କଲାମାଳି ପାହାଡ଼କୁ ପ୍ରାୟ ୪୦୦ ହେକ୍ଟର ବିସ୍ତୃତ ଘଞ୍ଚ ବନାନୀରେ ପରିଣତ କରିଛି।
ବର୍ତ୍ତମାନ ଏହି ଜଙ୍ଗଲରେ ଶାଗୁଆନ, ଶାଳ, ଚନ୍ଦନ, ଆମ୍ବ, ଅଁଳା, କାଜୁ, ସର୍ଗି ସମେତ ବହୁ ମୂଲ୍ୟବାନ ବୃକ୍ଷ ବୃଦ୍ଧି ପାଇଛି। ଏହି ବନ କେବଳ ସବୁଜିମାର ପରିଚୟ ନୁହେଁ, ବରଂ ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ଗଢ଼ିଉଠିଛି। ପକ୍ଷୀଙ୍କ କଳରବ ଓ ବନ୍ୟଜନ୍ତୁଙ୍କ ଉପସ୍ଥିତି ଏହି ଅଞ୍ଚଳର ପରିବେଶକୁ ପୁଣିଥରେ ଜୀବନ୍ତ କରିଛି।
ଲାଲୁ ଶବରଙ୍କ ଏହି ମହାନ ଅଭିଯାନରେ ତାଙ୍କ ପରିବାର ମଧ୍ୟ ସମାନ ଭାବେ ସହଯୋଗ କରୁଛନ୍ତି। ଆର୍ଥିକ ଅନଟନ ସତ୍ତ୍ୱେ ତାଙ୍କ ସନ୍ତାନମାନେ ଉଚ୍ଚଶିକ୍ଷାର ସୁଯୋଗକୁ ପଛରେ ରଖି ଜଙ୍ଗଲ ସୁରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ବିନା ପାରିଶ୍ରମିକରେ ଦିନରାତି ବନର ରକ୍ଷଣାବେକ୍ଷଣ କରୁଛନ୍ତି। ଏହା ପ୍ରମାଣ କରେ ଯେପ୍ରକୃତି ପ୍ରତି ସତ୍ୟ ଭଲପାଇବା ଥିଲେ ଅର୍ଥର ଅଭାବ ମଧ୍ୟ କୌଣସି ବାଧା ହୋଇପାରେ ନାହିଁ।
ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ବଡ଼ ଅବଦାନ ସତ୍ୱେ ଲାଲୁ ଶବରଙ୍କୁ ଏପର୍ଯ୍ୟନ୍ତ ସେହି ଅନୁପାତରେ ସରକାରୀ ସ୍ୱୀକୃତି କିମ୍ବା ସମ୍ମାନ ମିଳିନାହିଁ। ବନ ସୁରକ୍ଷା ନାମରେ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ, ନିଜ ଉଦ୍ୟମରେ ଏକ ବିଶାଳ ଜଙ୍ଗଲ ସୃଷ୍ଟି କରିଥିବା ଏହି ପ୍ରକୃତିପ୍ରେମୀଙ୍କ ପ୍ରତି ଦୃଷ୍ଟି ନ ପଡ଼ିବା ଦୁଃଖଦାୟକ। ତାଙ୍କ ଭଳି ବ୍ୟକ୍ତିଙ୍କୁ ସମ୍ମାନିତ କରାଗଲେ ସମାଜର ଅନ୍ୟମାନେ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ଉତ୍ସାହିତ ହେବେ।
ଲାଲୁ ଶବରଙ୍କ ଜୀବନ ଆମକୁ ଏକ ବଡ଼ ଶିକ୍ଷା ଦେଇଥାଏ—ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ କଠିନ ପରିଶ୍ରମ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରେ। ତାଙ୍କ ସୃଷ୍ଟି କରିଥିବା ସବୁଜ ବନ ଆସନ୍ତା ପିଢ଼ି ପାଇଁ ଏକ ଅମୂଲ୍ୟ ସମ୍ପଦ। ତେଣୁ ଆମେ ସମସ୍ତେ ବୃକ୍ଷରୋପଣ ଓ ବନ ସୁରକ୍ଷାକୁ ନିଜର ନୈତିକ ଦାୟିତ୍ୱ ଭାବେ ଗ୍ରହଣ କରି ଏକ ସବୁଜ, ସୁସ୍ଥ ଓ ସୁରକ୍ଷିତ ପୃଥିବୀ ଗଢ଼ିବାରେ ସାମିଲ ହେବା ଉଚିତ।
To learn more about the latest developments in Conservation, stay updated with our exclusive reports and analyses on AiLensNews.